Unknown

 

 

 

 

 

 

 

 

 

 

 

ଭୀମାଭୂୟାଁ

ଗୋପାଳବଲ୍ଲଭ ଦାସ

 

ପରିଚୟ :

 

ଗୋପାଳବଲ୍ଲଭ ଦାସଙ୍କ ଦ୍ୱାରା ରଚିତ 'ଭୀମାଭୂୟାଁ' (୧୯୦୮) ଓଡ଼ିଆ ଉପନ୍ୟାସ ସାହିତ୍ୟ ଇତିହାସରେ ଏକ ସ୍ମରଣୀୟ କୃତି । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଅନୁଜ ଗୋପାଳବଲ୍ଲଭ କେନ୍ଦୁଝରରେ ସରକାରୀ ଦାୟିତ୍ୱରେ ଥିବାବେଳେ ସେ ସ୍ଥାନୀୟ ଆଦିବାସୀଙ୍କ ଜୀବନଶୈଳୀକୁ ଅତି ନିକଟରୁ ଦେଖିଥିଲେ ଏବଂ ସେହି ଅନୁଭୂତିରୁ 'ଭୀମାଭୂୟାଁ' ରଚନା ପାଇଁ ପ୍ରେରଣା ପାଇଥିଲେ । ଏହା ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନକୁ ନେଇ ରଚିତ ପ୍ରଥମ ମୌଳିକ ଉପନ୍ୟାସ । ଏହି ପୁସ୍ତକର ମୁଖ୍ୟ ବିଷୟବସ୍ତୁ ହେଉଛି କେନ୍ଦୁଝରର ସରଳ ତଥା ନିଷ୍କପଟ ଭୂୟାଁ ଜାତିର ଜୀବନ, ସେମାନଙ୍କର ପାରମ୍ପରିକ ରୀତିନୀତି, ବିଶ୍ୱାସ ଏବଂ ସେମାନଙ୍କ ଉପରେ ହେଉଥିବା ପ୍ରଶାସନିକ ଶୋଷଣ । କାହାଣୀରେ ନାୟକ ଭୀମାଭୂୟାଁର ବୀରତ୍ୱର ଚିତ୍ର ରହିଛି । ଏହା କେବଳ ଏକ ପ୍ରଣୟ କାହାଣୀ ନୁହେଁ, ବରଂ ଏଥିରେ ରାଜନୀତି, ସମାଜନୀତି, ଦଣ୍ଡନୀତି ଏବଂ ଭାଗ୍ୟବାଦିତାର ଗଭୀର ଦାର୍ଶନିକ ବିଚାର ରହିଛି । ପୁସ୍ତକର ଆରମ୍ଭ ଭୂୟାଁମାନଙ୍କର ଅତି ପ୍ରିୟ 'ମାଘପୋଡ଼' (ଓଷା ଉଜୁଆଁ) ପର୍ବରୁ ହୁଏ, ଯେଉଁଠାରେ ଆମୋଦ-ପ୍ରମୋଦ, ଚାଙ୍ଗୁ ନାଚ ଏବଂ ମୁକ୍ତ ପ୍ରେମର ବାତାବରଣ ଥାଏ । ଲେଖକ ଦର୍ଶାଇଛନ୍ତି ଯେ କିପରି ଏହି ପ୍ରକୃତିର ସନ୍ତାନମାନେ ରାଜାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଏବଂ ରାଜଭକ୍ତ । କିନ୍ତୁ ସମାନ୍ତରାଳ ଭାବେ ଉପନ୍ୟାସଟି ତତ୍କାଳୀନ ଗଡ଼ଜାତ ଶାସନରେ ଅମଲାମାନଙ୍କର ମନମୁଖୀ ଶାସନ ଏବଂ ସାମାଜିକ ଜଟିଳତାକୁ ମଧ୍ୟ ସମାଲୋଚନା କରିଛି । ଭୀମାଭୂୟାଁର ରୂପ, ଗୁଣ ଏବଂ ତାର ନିଃସ୍ୱାର୍ଥପର କାର୍ଯ୍ୟ କିପରି ସମସ୍ତଙ୍କୁ ମୁଗ୍ଧ କରୁଛି ଏବଂ ଶେଷରେ ତାର ଜୀବନ କିପରି ଏକ ଆଧ୍ୟାତ୍ମିକ ପ୍ରେମର ତପସ୍ୟାରେ ପରିଣତ ହେଉଛି, ତାହା ଏହି ପୁସ୍ତକର ମୂଳ ସ୍ୱର ।

 

ପୃଷ୍ଠଭୂମି :

 

'ଭୀମାଭୂୟାଁ'ର ପୃଷ୍ଠଭୂମି ମୁଖ୍ୟତଃ ଅବିଭକ୍ତ କେନ୍ଦୁଝର ଗଡ଼ଜାତ ରାଜ୍ୟ ଏବଂ ଏହାର ଘଞ୍ଚ ଅରଣ୍ୟ ଘେରା ପାର୍ବତ୍ୟ ଅଞ୍ଚଳକୁ ନେଇ ଗଢ଼ିଉଠିଛି । ସାମାଜିକ ପରିପ୍ରେକ୍ଷୀରେ ଏହି ପରିବେଶରେ ଗୋଟିଏ ପଟେ ଭୂୟାଁମାନଙ୍କର ମାଘପୋଡ଼ ଉତ୍ସବ, ଚାଙ୍ଗୁ ନାଚ ଏବଂ ଝିଙ୍କା ବିବାହ ପ୍ରଥା ରହିଛି । ଅନ୍ୟପଟେ ରାଜଦରବାରର ଷଡ଼ଯନ୍ତ୍ର, ବେବର୍ତ୍ତାଙ୍କର ପ୍ରଭାବ ଏବଂ ରାଜାଙ୍କ ପ୍ରତି ଭୂୟାଁମାନଙ୍କର 'ଠାକୁର' ପରି ଶ୍ରଦ୍ଧା ଓ ଭକ୍ତିର ଚିତ୍ର ଦେଖିବାକୁ ମିଳେ । ଏହି ପୃଷ୍ଠଭୂମିରେ ପ୍ରକୃତି ଏବଂ ମଣିଷ ମଧ୍ୟରେ ଏକ ଅବିଚ୍ଛିନ୍ନ ସମ୍ପର୍କ ପରିଲିକ୍ଷିତ ହୁଏ । ପାହାଡ଼ିଆ ନଈ କୂଳରେ ପ୍ରେମ ଓ ଯୁଦ୍ଧ ଏକାଠି ବସବାସ କରନ୍ତି । ପୁସ୍ତକଟି ସେହି ସମୟର ଜାତି ପ୍ରଥା ଏବଂ ଉଚ୍ଚ-ନୀଚ ଭେଦଭାବର ଜଟିଳତାକୁ ମଧ୍ୟ ପ୍ରକାଶ କରିଛି ।

 

ପ୍ରମୁଖ ପାତ୍ରମାନେ :

 

ଏହି ଉପନ୍ୟାସର କେନ୍ଦ୍ରବିନ୍ଦୁ ହେଉଛି ଭୀମାଭୂୟାଁ । ସେ ନିଜର ବଳିଷ୍ଠ ଶରୀର, ଶାନ୍ତ ସ୍ୱଭାବ ଏବଂ ଅସୀମ ସାହସ ପାଇଁ ଜଣାଶୁଣା । କେନ୍ଦୁଝର ଜେମା (ରାଜଜେମା) ହେଉଛନ୍ତି ମୁଖ୍ୟ ନାରୀ ଚରିତ୍ର, ଯାହାଙ୍କର ଭୀମା ପ୍ରତି ଥିବା ଆକର୍ଷଣ ଦୈହିକ ନ ହୋଇ ଆତ୍ମିକ ଓ ତ୍ୟାଗପୂର୍ଣ୍ଣ । ସାଧୁ ସରଦାର ଭୀମାର ବାପା, ଯିଏ ନିଜର ବଂଶ ଓ ମର୍ଯ୍ୟାଦା ପାଇଁ ସଚେତନ । ବାଣାସୁର ଭୀମାର ଜ୍ୟେଷ୍ଠ ଭ୍ରାତା ଏବଂ ଚିନାମାଳି ତିଳ ସରଦାରର ଝିଅ, ଯାହାଙ୍କୁ ନେଇ ପ୍ରେମର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବେବର୍ତ୍ତା ତ୍ରିଲୋଚନ ମହାପାତ୍ର ଏକ ଶକ୍ତିଶାଳୀ ଚରିତ୍ର, ଯିଏ ପ୍ରଭାବଶାଳୀ ହେଲେ ମଧ୍ୟ ଶେଷରେ ପରାଜିତ ହୋଇଛନ୍ତି । ଏହି ପାତ୍ରମାନଙ୍କ ମଧ୍ୟରେ ଥିବା ସମ୍ପର୍କ ସରଳ ଭକ୍ତିରୁ ଆରମ୍ଭ ହୋଇ ଜଟିଳ ମାନସିକ ସଂଘର୍ଷ ଏବଂ ମହାନ ତ୍ୟାଗ ମଧ୍ୟରେ ଗତି କରେ ଅନ୍ୟଚରିତ୍ରମାନେ ମଧ୍ୟ କାହାଣୀକୁ ଗତିଶୀଳ ସମୃଦ୍ଧ କରିଛି ।

 

ମୁଖ ବିଷୟବସ୍ତୁ :

 

କେନ୍ଦୁଝରର ଏକ ଅଖ୍ୟାତ ଭୂୟାଁପଲ୍ଲୀର ଅଧିବାସୀ ହେଉଛନ୍ତି ସାଧୁ ସରଦାର ଓ ତିଳ ସରଦାର । ସାଧୁର ବଡ଼ପୁଅ ନାମ ବାଣାସୁର, ସାନ ପୁଅ୍ର ନାମ ଭୀମା । ତିଳ ସରଦାରର ଏକମାତ୍ର କନ୍ୟା ହେଉଛି ଚିନାମାଳୀ । ଚିନାମାଳୀ ଦୁଇଭାଇଙ୍କ ପ୍ରତି ଆକୃଷ୍ଟ ହୁଏ, କିନ୍ତୁ ସାଧୁ ଓ ତିଳର ନିଷ୍ପତିକ୍ରମେ ମାଘପୋଡ଼ ପର୍ବରେ ବଡ଼ ବାଣାସୁର ସହିତ ଚିନାମାଳୀର ବିବାହ ହୋଇଯାଏ-। ଏଥିରେ ଭୀମା ଅତ୍ୟନ୍ତ ଦୁଃଖିତ ହୁଏ । ଜଗଦ୍ଦେବଙ୍କର ବେବର୍ତ୍ତା ତ୍ରିଲୋଚନ ମହାପାତ୍ରଙ୍କର ଅତ୍ୟାଚାରରେ ରାଜ୍ୟରେ ଅରାଜକତା ଦେଖାଦିଏ । ରାଜ୍ୟର ପ୍ରଜା ଓ ଅନ୍ୟ କର୍ମଚାରୀ ଏବଂ ପ୍ରତିବେଶୀ ରାମ ହରିଚନ୍ଦନ ମର୍ଦ୍ଦରାଜଙ୍କର ପ୍ରଜାମାନେ ଅପମାନିତ ତଥା ପୀଡ଼ିତ ହୁଅନ୍ତି-। ଫଳରେ ଦୁଇ ରାଜାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଏ । ଭୀମା କୌଣସି କାରଣରୁ ରାଜାଙ୍କର ଅସନ୍ତୋଷ ଭାଚନ ହେବାରୁ ମର୍ଦ୍ଦରାଜଙ୍କ ରାଜ୍ୟକୁ ପଳାଇଆସେ ଏବଂ ରାଜାଙ୍କ ନିକଟରେ ରହେ-। ବିଶୋଇ ଚନ୍ଦ୍ରଶେଖର ପଟ୍ଟନାୟକ ମଧ୍ୟ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ପିଲାକୁଟୁମ୍ୱ ଧରି ମର୍ଦ୍ଦରାଜଙ୍କ ରାଜ୍ୟକୁ ଚାଲି ଆସନ୍ତି ।

 

ରାଜା ଜଗଦ୍ଦେବ ଓ ମର୍ଦ୍ଦରାଜଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୁଏ । ଜଗଦ୍ଦେବଙ୍କ ବେବର୍ତ୍ତା ତ୍ରିଲୋଚନ ମହାପାତ୍ର ଯୁଦ୍ଧ ସମୟରେ ଭୀମାର ସାହସ ଓ ରଣକୌଶଳ ନିକଟରେ ପରାସ୍ତ ହୋଇ ବନ୍ଦୀ ହୁଏ । ଭୀମା ନିଜର ବୀରତ୍ୱ ପାଇଁ ରଣଜିତ ସିଂହ ପଦ ଓ ଶାଢ଼ୀ ପାଏ । ମର୍ଦ୍ଦରାଜ ବେବର୍ତ୍ତାଙ୍କୁ ଶୂଳୀର ଆଦେଶ ଦିଅନ୍ତି ଓ ନିଜର ପ୍ରତ୍ୟେକ ସୈନ୍ୟଙ୍କୁ ପାଞ୍ଚଟି ଲେଖାଏଁ ବନ୍ଦୀ ଶିରଚ୍ଛେଦ କରି ଛାଉଣୀ ଆଗରେ ଖୁଣ୍ଟରେ ରଖିବାକୁ ନିର୍ଦ୍ଦେଶ ଦିଅନ୍ତି । ଭୀମା ହାତରେ ନିହତ ହେବାପାଇଁ ଯେଉଁ ପାଞ୍ଚଜଣବନ୍ଦୀ ପଡନ୍ତି ସେମାନଙ୍କ ମଧ୍ୟରେ ବାପା ଓ ଭାଇଙ୍କୁ ଦେଖି ଦୁଃଖ ହତାଶରେ ଭାଙ୍ଗି ପଡ଼େ । ଭୀମା କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଶେଷରେ ବାପା ଭାଇଙ୍କ ବଦଳରେ ଅନ୍ୟ ଦୁଇଜଣ ଲୋକଙ୍କର ମୁଣ୍ତକାଟି ଖୁଣ୍ଟ ଆଗରେ ଥୋଇଦିଏ । ପରଦିନ ରାମ ଭୀମାର କଟାମୁଣ୍ତପ୍ରତି ଦୃଷ୍ଟି ନଦେଇ ଭୀମାକୁ ପ୍ରଶଂସାକରି ବିଦାୟ ଦିଅନ୍ତି ଓ ଉପରବେଳା ପୀଡ଼ାଗ୍ରସ୍ତ ହୁଅନ୍ତି । କ୍ରମଶଃ ରାମଙ୍କର ପୀଡ଼ା ବୃଦ୍ଧିପାଏ, ପାଖଲୋକ ଓ ରାଜଜେମାଙ୍କ ବ୍ୟତୀତ ରାଜାଙ୍କ ନିକଟରେ କାହାକୁ ରହିବାର ନିର୍ଦ୍ଦେଶ ନଥାଏ । ବହୁ ବୈଦ୍ୟ ଚିକିତ୍ସାରେ ଲାଗିପଡ଼ନ୍ତି କିନ୍ତୁ ପୀଡ଼ା ଉପଶମ ହେଉନଥାଏ । ଭୀମା କୌଶଳରେ ନିଜ ବାପାର କୌଣସି ପରିଚୟ ନଦେଇ ବୁଢ଼ା ବାପାଦ୍ୱାରା ଦୁଇଚାରି ଦିନପରେ ରାଜାଙ୍କର ଚିକିତ୍ସାର ବ୍ୟବସ୍ଥା କରେ । ପ୍ରତିଦିନ ବୁଢ଼ାର ଲେପ ପ୍ରୟୋଗରେ ରାଜା ଧୀରେ ଧୀରେ ସୁସ୍ଥ ହୁଅନ୍ତି ଓ ବୁଢ଼ାର ପ୍ରଶଂସା କରି ଭୀମା ନିକଟରେ ରହିବାର ଆଦେଶ ଦିଅନ୍ତି । ଚିକିତ୍ସା ସମୟରେ ବାପା ସାଧୁ ଓ ପୁଅ ଭୀମା ରାଜାଙ୍କ ନିକଟରେ ରହିଥିବାବେଳେ ରାଜଜେମା ପିତାଙ୍କୁ ଦେଖିବାକୁ ଆସି କୃତଜ୍ଞତାରେ ଭୀମା ପ୍ରତି କଟାକ୍ଷ ପାତ କରନ୍ତି । ବାରମ୍ୱାର ଆଗମନ ଓ କଟାକ୍ଷଫଳରେ ଭୀମାପ୍ରତି ତାଙ୍କ ଚିତ୍ତରେ ପ୍ରଣୟ ସଂଚାର ହୁଏ-। ଭୀମାର ଚିତ୍ତରେ ମଧ୍ୟ ଅପୂର୍ବ ଭାବତରଙ୍ଗ ସୃଷ୍ଟି ହୁଏ । ରାଜାଙ୍କ ଆଦେଶରେ ଭୀମାର ବାପାଙ୍କୁ ପୁରସ୍କାର ଦେବାପାଇଁ ଖୁଣ୍ଟିଆ ବୁଢ଼ା ନିକଟକୁ ଯିବାରୁ ବୁଢ଼ା ଓ ତାର ପୁଅ ବାଣାସୁରକୁ ଦେଖି ଚିହ୍ନିପାରି ରାଜାଙ୍କ ନିକଟରେ ସମସ୍ତ ରହସ୍ୟ ପ୍ରକାଶ କରେ । ରାଜା ମନ୍ତ୍ରୀର ପରାମର୍ଶ ଅନୁସାରେ ଆଦେଶ କରନ୍ତି, ବୁଢ଼ା ଉପକାରୀ ହୋଇଥିବାରୁ ଅଦଣ୍ତ୍ୟା ଆଦେଶ ଅନୁସାରେ ବାଣାସୁରର ମୁଣ୍ତକାଟି ନଥିବାରୁ ଭୀମାର ମୁଣ୍ତକାଟ ହେବାକଥା ବୁଢ଼ାର ଉପକାର ହେତୁ ଗୋଟିଏ ପୁଅର ମୁଣ୍ତକାଟରୁ ରକ୍ଷା ପାଇବ, କିନ୍ତୁ କାହାର ମୁଣ୍ତ କାଟଯିବ ବୁଢ଼ାର ଇଚ୍ଛା ଉପରେ ନିର୍ଭର କରେ-। ରାଜାଙ୍କ ନିର୍ଦ୍ଦେଶରେ ସାଧୁ ସରଦାର ହୃଦୟ ଭୀଷଣଦ୍ୱନ୍ଦ୍ୱଜନିତ ବେଦନାରେ ବିକ୍ଷୁବ୍‍ଧ ହୁଏ-। ପିତାର ହୃଦୟ କି କୌଣସି ପୁତ୍ରର ପ୍ରାଣଦଣ୍ତ ଚାହେଁ ? ବୁଢ଼ା ବାରମ୍ୱାର ବାଣାସୁରକୁ ଓ ଭୀମାକୁ ଧରି କାନ୍ଦିବାକୁ ଲାଗେ ଏବଂ ଶେଷରେ ସଂଜ୍ଞାହୀନ ହୋଇପଡେ଼ । ବାପାର ସଂଜ୍ଞାହୀନ ଅବସ୍ଥାରେ ଭୀମା ଠିଆହୋଇ ତା’ର ଶିରଚ୍ଛେଦ ପାଇଁ ବାରମ୍ୱାର ଆଦେଶଭିକ୍ଷା କରିବାରୁ ରାଜା ଅତି ଦୁଃଖରେ ଆଦେଶ ଦିଅନ୍ତି । ଜହ୍ଲାଦ ନିକଟରେ ଭୀମା ନିର୍ବିକାର ଚିତ୍ତରେ ଠିଆ ହୋଇଯାଏ-। ଜହ୍ଲାଦର ହାତ ଉଠୁନଥାଏ । ଚେତାପାଇ ବୁଢ଼ା ପୁଣି ଧାଇଁ ଆସି ଭୀମା ଉପରେ ପଡ଼ିଯାଏ-। ରାଜଜେମା ଏ ଦାରୁଣ ସମ୍ୱାଦ ଶୁଣି ଧୈର୍ଯ୍ୟଧରି ନପାରି ପିତାଙ୍କ ନିକଟରେ ଭୀମାର ପ୍ରାଣଭିକ୍ଷା କରନ୍ତି । ନାଟକୀୟ ଭାବରେ ଭୀମାର ପ୍ରାଣ ରହିଯାଏ ।

 

ଭୀମା ଓ ରାଜଜେମା ଉଭୟଙ୍କର ହୃଦୟରେ ପ୍ରଣୟ ନିବିଡ଼ତର ହୁଏ, କିନ୍ତୁ ଉଭୟଙ୍କର ମିଳନର ପ୍ରତିବନ୍ଧକ ରୂପେ ଠିଆ, ହୋଇଥାଏ । ଆଭିଜାତ୍ୟର ମେଘନାଦ ପାଚେରୀ । ପ୍ରଣୟ ଜନିତ ବେଦନାରେ ଉଭୟଙ୍କର ପ୍ରାଣ ଅହର୍ନିଶ ବିଳପି ଉଠେ । ରାଣୀ ହଂସପୁରର ଆମୋଦ ପ୍ରମୋଦ ତଥା ପରିଚାରିକା ମାନଙ୍କର ସଙ୍ଗୀର ପ୍ରତି ଉଦାସୀନତା ଏବଂ ପ୍ରଣୟ ସମ୍ପର୍କିତ କାବ୍ୟପାଠ ଲକ୍ଷ୍ୟକରି ସିଂହାରିମା ରାଜାଙ୍କୁ ସମସ୍ତ ଜଣାଏ । ଜେମାର ସଖୀ ଇନ୍ଦୁମତୀ ରାଜାଙ୍କ ନିକଟରେ ଜେମାର ମନକଥା ପ୍ରକାଶ କରି କହେ ଯେ ଭୀମା ରଣଜିତ ଶାଢ଼ି ଘେନି ଏଠାକୁ ଆସୁ; ତା’ର ଆପରି ନଥିଲେ ତାକୁ ଏଠାକୁ ଅନ୍ତର କରାଯାଉ । ବୃନ୍ଦାବନରେ ବାସ କରିବାପାଇଁ ଜେମାଙ୍କର ଚରମ ଅଭିଳାଷ । ଜେମା ମୁଣ୍ଡରୁ ମଥାମଣି କାଢ଼ି ଇନ୍ଦୁମତୀ ହସ୍ତରେ ଭୀମାକୁ ଦିଅନ୍ତି । ଭୀମା ମଥାମଣି ମୁଣ୍ଡରେ ମାରି କାଷ୍ଟପିତୁଳି ପରି ଠିଆହୁଅନ୍ତେ ଇନ୍ଦୁମତୀ ଜେମାଙ୍କର ଅଭିଳାଷ ଭୀମାକୁ ଜଣାଏ—‘ତୁମେ ଇନ୍ଦ୍ରିୟ ଦମନ କରି ନିର୍ବିକାର ନିର୍ମମ ପ୍ରେମମୟ ପୁରୁଷ ହୋଇ ମଥାମଣି ଧରି ଗୋପନ ଭାବରେ ଥିବା ଜେମାଙ୍କ ନିକଟରେ ଯଦି ଉପସ୍ଥିତ ହେବ ତା’ ହେଲେ ରଣଜିତ ସିଂହ ଶାଢ଼ୀକୁ ଜିତେନ୍ଦ୍ରୀୟ ଶାଢ଼ୀରୂପେ ପୁଣି ଲାଭ କରିବ ।’ ଭୀମା ପ୍ରଣାମ କରି ବିଦାୟ ନିଏ । ବହୁଦିନ ପରେ (ଅନ୍ତିମ କାଳରେ) ନାୟକ ଭୀମା ଯେତେବେଳେ ପୂର୍ଣ୍ଣ ସଂଯତ ଓ ପ୍ରେମମୟ, ସେତେବେଳେ ଜେମାଙ୍କ ସହିତ ତା’ର ସାକ୍ଷାତ ହୁଏ । ଏଇ ହେଉଛି ନାୟକ ନାୟିକାଙ୍କର ପ୍ରଣୟର ପରିଣତି ।

 

ଉପସଂହାର :

 

'ଭୀମାଭୂୟାଁ' କେବଳ ଏକ ଉପନ୍ୟାସ ନୁହେଁ, ବରଂ ଏହା ଓଡ଼ିଶାର ସଂସ୍କୃତି, ବୀରତ୍ୱ ଏବଂ ନିଷ୍କଳଙ୍କ ପ୍ରେମର ଏକ ସାରସ୍ୱତ ସ୍ମାରକୀ । ଜଣେ ଅସଭ୍ୟ ବୋଲାଉଥିବା ଆଦିବାସୀ ଯୁବକର ହୃଦୟ ରାଜକୀୟ ବୈଭବଠାରୁ ମଧ୍ୟ ଅଧିକ ବିଶାଳ ହୋଇପାରେ ବୋଲି ଲେଖକ ଦର୍ଶାଇଛନ୍ତି । ପୁସ୍ତକର ସାରମର୍ମ ହେଉଛି ତ୍ୟାଗ ଏବଂ ଜିତେନ୍ଦ୍ରିୟତା । ଭୀମାର ନିଜ ପରିବାର ପ୍ରତି ଭକ୍ତି ଏବଂ ଜେମାଙ୍କର ନୈସର୍ଗିକ ପ୍ରେମ ପାଠକଙ୍କୁ ଏକ ଆଧ୍ୟାତ୍ମିକ ଉଚ୍ଚତାକୁ ନେଇଯାଏ । ଏହି ଉପନ୍ୟାସରେ ପ୍ରକୃତିର ବର୍ଣ୍ଣନା, ଭୂୟାଁ ସମାଜର ରୀତିନୀତି ଏବଂ ରାଜଦରବାରର ଷଡ଼ଯନ୍ତ୍ର କାହାଣୀକୁ ଅତ୍ୟନ୍ତ ରୋମାଞ୍ଚକର ହୋଇଛି । ଏହି ଆଦିବାସୀଭିତ୍ତିକ ଉପନ୍ୟାସଟି ଭୀମାଭୂୟାଁର ସେହି ବୀରତ୍ୱ ଗାଥା, ସାଧୁ ସରଦାରଙ୍କ ପିତୃହୃଦୟର ଆକୁଳତା ଏବଂ ଜେମାଙ୍କର ସେହି ଅମର ତ୍ୟାଗକୁ ଗଭୀର ପ୍ରତିପାଦିତ କରିଛନ୍ତି ।

Image